• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କେତେବେଳେ ଚା ପ୍ୟାକେଟ୍‌ରେ ତ କେତେବେଳେ ପରିବା ଟ୍ରକ୍‌ରେ ।

  • ବେଙ୍ଗଲ୍ ମୁର୍ଶିଦାବାଦ୍‌ରୁ ଖଡ଼ଗପୁର ଦେଇ ବାଲେଶ୍ୱର ଓ ଜଳେଶ୍ୱର ।

  • ଆଉ ତାପରେ ଭୁବନେଶ୍ୱର । 

ବାଲେଶ୍ୱର: କେତେବେଳେ ଚା ପ୍ୟାକେଟ୍‌ରେ ତ କେତେବେଳେ ପରିବା ଟ୍ରକ୍‌ରେ । ବେଙ୍ଗଲ୍ ମୁର୍ଶିଦାବାଦ୍‌ରୁ ଖଡ଼ଗପୁର ଦେଇ ବାଲେଶ୍ୱର ଓ ଜଳେଶ୍ୱର । ଆଉ ସେଠୁ ଭୁବନେଶ୍ୱର । ଏଭଳି ଚାଲିଛି ଧଳାଜହର ବ୍ରାଉନସୁଗରର ବଡ଼ କାରବାର । ପୋଲିସର ଧରପଗଡ଼ ହେଉଛି ସତ । କିନ୍ତୁ ରଣନୀତି ବଦଳାଇ ମାଫିଆ ଚଳାଇଛନ୍ତି ଧନ୍ଦା । ଏପରିକି ମହିଳା ଏବଂ ଶିଶୁଙ୍କୁ ମଧ୍ୟସ୍ଥି ସଜାଇ ଅଭିନବ ଉପାୟରେ କୋଟି କୋଟିର ଖେଳ କରୁଛନ୍ତି ନିଶା ମାଫିଆ । ଗତ କିଛି ଦିନ ହେଲାଣି ବିପୁଳ ପରିମାଣର ବ୍ରାଉନସୁଗର୍ ଧରାପଡ଼ିବା ପରେ ଏବେ ଏସବୁ ତଥ୍ୟ ସାମ୍ନାକୁ ଆସିଛି ।

ଧଳା ଜହରର କଳା ବେପାର ପାଇଁ ଅଭିନବ ଫଣ୍ଡା । ଉପରକୁ ଦେଖାଯାଉଛି ଚାପତି ପ୍ୟାକେଟ୍, ଭିତରେ କିନ୍ତୁ ଧଳା ପାଉଡର୍ । ଏହି ନିଷିଦ୍ଧ ବେପାରକୁ ଚେକ୍ ଦେବା ପାଇଁ ପୋଲିସ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯାଉଛନ୍ତି ନିଶା ମାଫିଆ । ହେଲେ ସବୁ ଯୋଜନାକୁ ପଣ୍ଡ କରିଛି ବାଲେଶ୍ୱର ଜିଲ୍ଲା ପୋଲିସ ଏବଂ ଅବକାରୀ ବିଭାଗ । ଜଳେଶ୍ୱର ରାଜପୁର ଗାଁରେ ଗତରାତିରେ ଚଢ଼ାଉ କରି ଶେଖ୍ ରଫିକ୍ ନାମକ ଜଣେ ଯୁବକଙ୍କଠୁ ୬ଟି ପ୍ୟାକେଟରୁ ଛଅ ଶହ ଗ୍ରାମ ବ୍ରାଉନସୁଗର ଜବତ କରିଥିଲା ଅବକାରୀ ବିଭାଗ ।

ସେହିପରି ଗାଁର ଆମିନା ବିୱି ନାମକ ଜଣେ ମହିଳାଙ୍କ ଠାରୁ ମଧ୍ୟ ୭୮୦ ଗ୍ରାମର ବ୍ରାଉନସୁଗର ଧରିଛି ପୋଲିସ । ଯାହାର ଦାମ ୭୮ ଲକ୍ଷ ଟଙ୍କା । ସଂପୃକ୍ତ ମହିଳାଙ୍କୁ ଗିରଫ କରି ଖୋଳତାଡ଼ କରୁଛି ପୋଲିସ । ତିନି ଦିନ ପୂର୍ବରୁ ଜଳେଶ୍ୱରରୁ ହିଁ ପ୍ରାୟ ଅଢେଇ କୋଟିର ଧଳା ପାଉଡର ଜବତ କରିଥିଲା STF ।

ପଶ୍ଚିମବଙ୍ଗର ମୁର୍ଶିଦାବାଦ୍ ଭାୟା ଖଡଗ୍‌ପୁର ଦେଇ ପରିବା ଟ୍ରକ୍‌ରେ ବାଲେଶ୍ୱର ସହ ଜଳେଶ୍ୱରକୁ ଆସୁଛି ଧଳା ପାଉଡର୍ । ସେଠାରୁ ଯାଉଛି ଭୁବନେଶ୍ୱର । ଅର୍ଥାତ ଏହି ବ୍ରାଉନସୁଗର ବେପାରର ହବ୍ ପାଲଟିଛି ବାଲେଶ୍ୱର ଏବଂ ଜଳେଶ୍ୱର । ଜଳେଶ୍ୱରର ରାଜପୁର, ଶାସନବାଡ଼ ଓ ଶେଖ୍‌ୱାଡ଼ରେ ତ ସତେଯେମିତି ପାଲଟିଛି କୁଟୀରଶିଳ୍ପ । ଧରାପଡ଼ିବା ଭୟରେ ମହିଳା ଓ ଛୋଟ ପିଲାଙ୍କୁ ଅସ୍ତ୍ର କରି ମାଫିଆ ଚଳାଇଛନ୍ତି ନିଜର କଳା ସାମ୍ରାଜ୍ୟ । ଦିପଇସା ଆଶାରେ ସେହି ମାଫିଆଙ୍କ ପାଇଁ ସୁରକ୍ଷାର ଢ଼ାଲ ସାଜି ଚଢ଼ାଉ କରିବାକୁ ଯାଇଥିବା ପୋଲିସ ସ୍କ୍ୱାର୍ଡ ସହ ମୁହାଁମୁହିଁ ବି ହେଉଛନ୍ତି ମଧ୍ୟସ୍ଥି ।

ସେହଭଳି ଏକ ଘଟଣା ହେଉଛି, ଗତରାତିଆ ଚଢ଼ାଉ ପାଇଁ ଯାଇଥିବା ପୋଲିସକୁ ଅତର୍କିତ ଆକ୍ରମଣ ପାଇଁ ରାଜପୁରରେ ଏଭଳି ଉଦ୍ୟମ କରିଥିଲେ ଲୋକେ । ଏହି ଖବର ପରେ ଆଜି ଜଳେଶ୍ୱର ଯାଇ ବ୍ରାଉନସୁଗର୍ ରାକେଟ୍‌ର ଅନୁଧ୍ୟାନ କରିଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ୍ ।

୨୦୨୦ରୁ ଆଜି ଯାଏଁ ରାଜ୍ୟରେ ୫୪ କେଜିରୁ ଅଧିକ ବ୍ରାଉନସୁଗର ଜବତ ହୋଇଥିବା ବେଳେ କେବଳ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ୩୮ କେଜିରୁ ଅଧିକ ବ୍ରାଉନସୁଗର ଧରିଛି । ଯାହାର ଦାମ୍ ପ୍ରାୟ ୪୦ କୋଟି । କମିଶନରେଟ୍ ପୋଲିସ୍ ବି ଗତ ୫ ମାସରେ ଧରିଲାଣି ୮ କୋଟି ଟଙ୍କାର ବ୍ରାଉନସୁଗର । ତାସହ ୩୯ ଜଣ ଗିରଫ ହୋଇଛନ୍ତି କଟକ-ଭୁବନେଶ୍ୱରରେ ।

ଆଉ ରାଜଧାନୀରେ ଧଳାଜହର କାରବାରକୁ ଚେକ୍ ଦେବା ପାଇଁ ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ଅପରେସନ୍ ହ୍ୱାଇଟ୍ ସ୍ପାଇଡର୍ ଜରିଆରେ ଆଜି ଲକ୍ଷ୍ମୀସାଗର ଅଞ୍ଚଳରୁ ୨୭ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରିବା ସହ ୨ ଜଣଙ୍କୁ ପୋଲିସ ଗିରଫ କରିଛି । କେବଳ ଏହି ୨ ଜଣ ନୁହଁନ୍ତି, ଗତ ୪ ଦିନ ଭିତରେ ୧୩ ଜଣଙ୍କୁ ଗିରଫ କରି ପ୍ରାୟ ୭ କୋଟି ଟଙ୍କାର ବ୍ରାଉନସୁଗର ଜବତ କରିଛି ଭୁବନେଶ୍ୱର ପୋଲିସ ।