• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବ୍ରହ୍ମଗିରି: ପୁଣି ଥରିଲା ବ୍ରହ୍ମଗିରି । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଅସାନ୍ତ ହୋଇଛି ବ୍ରହ୍ମଗିରି ଅଞ୍ଚଳ । ମାତ୍ର କେଇ ମିନିଟ୍‌ ଭିତରେ ପୁରା ଅଞ୍ଚ ହୋଇଗଲା ଧୁଆଁମୟ । ଗୋଟିଏ କି ଦୁଇଟି ନୁହେଁ ଫୁଟିଲା ୨୦ରୁ ଅଧିକ ବୋମା । ପ୍ରଚଣ୍ଡ ଶବ୍ଦରେ କମ୍ପିଲା ପୁରା ବ୍ରହ୍ମଗିରି ଅଞ୍ଚଳ ।

ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମଗିରିର ସାତପଡ଼ା ଅଞ୍ଚଳରେ ଥିବା ନାଥପୁର ନିକଟରେ ଏଭଳି ବୋମାମାଡ଼ ହୋଇଛି । ଗୋଷ୍ଠି କନ୍ଦଳ ଯୋଗୁଁ ଏଭଳି ଘଟଣା ଘଟିଛି । ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ ଦ୍ୱାରା ୨୦ରୁ ଉର୍ଦ୍ଧ୍ୱ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଜମି ଜବରଜଖଲକୁ ନେଇ ପ୍ରଥମେ ଦୁଇ ଗୋଷ୍ଠି ମଧ୍ୟରେ ବଚସା ହୋଇଥିଲା ଓ ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପରେ ବୋମାମାଡ଼ ହୋଇଥିବା ଜଣାପଡିଛି ।

୩୫ ମୌଜାର କିଛି ଜମିକୁ ନିର୍ଦ୍ଦିଷ୍ଟ ଏକ ଗୋଷ୍ଠୀ ଜବରଦଖଲ କରିଥିବା ଅଭିଯୋଗ ହୋଇଥିଲା । ସେନେଇ ଆଜି ୩୫ ମୌଜାର ଲୋକେ ଏକ ବୈଠକ ଡାକିଥିଲେ । କିନ୍ତୁ ଗୋଟିଏ ଗୋଷ୍ଠୀର ଲୋକେ ଏହି ବୈଠକକୁ ଆସିନଥିଲେ । ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ପରେ ସେଠାରେ ଘନ ଘନ ବୋମାମାଡ଼ ହୋଇଥିଲା । ଖବର ପାଇ ପୁରୀ ଅତିରିକ୍ତ ଏସ୍‌ପି, ଏସ୍‌ଡିପିଓ, ବ୍ରହ୍ମଗିରି IIC ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ କରିଚନ୍ତି । ବୋମାମାଡ଼ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ତେବେ ମୁଖ୍ୟତଃ ସରକାରୀ ଜମି ଜବରଦଖଲ ବିବାଦକୁ ନେଇ ଏଭଳି ତୁମୁଳକାଣ୍ଡ ଘଟିଛି । ଘନ ଘନ ବୋମା ମାଡ଼ ପରେ ଚାରିଆଡ଼େ ଖାଲି ନିଆଁ ଓ ଧୁଆଁ ଦେଖିବାକୁ ମିଳିଛି । ପାଖାପାଖି ଗୋଟିଏ ବସ୍ତିରେ ୨୦ରୁ ଅଧିକ ଘର ଜଳି ଯାଇଥିବା ସୂଚନା ରହିଛି । ବସ୍ତିରେ ଅଧିକାଂଶ ଚାଳ ଘର ରହିଥିବା ବେଳେ ନିଆଁ ମଧ୍ୟ ଦୀର୍ଘ ସମୟ ଧରି ରହିଥିଲା । ବୋମାମାଡ଼ ପରେ ଲୋକମାନେ ଭୟରେ ଘରୁ ବାହାରକୁ ଚାଲିଆସିଥିଲେ ।

ତେବେ ପୋଲିସ ପହଞ୍ଚିଥିଲେ ମଧ୍ୟ ଲୋକଙ୍କୁ ଆୟତ୍ତ କରିବା ପ୍ରଥମେ କାଠିକାର ପାଠ ଥିଲା । ପୋଲିସ ଉପସ୍ଥିତିରେ ଆକ୍ରମଣକାରୀଙ୍କ ହାତରେ ବନ୍ଧୁକ ମଧ୍ୟ ଦେଖିବାକୁ ମିଳିଥିଲା । ସେପଟେ ଉତ୍ତେଜନାକୁ ନଜରରେ ରଖି ସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସେପଟେ ଏହି ଘଟଣାକୁ ନେଇ ପଣସପଦାରେ ରାସ୍ତାରୋକ କରାଯାଇଥିଲା, ତେବେ ପୋଲିସ ପହଞ୍ଚିବା ପରେ ରାସ୍ତାରୋକ ହଟିଛି । ଏହି ଗୋଷ୍ଠୀ ସଂଘର୍ଷରେ କେହି ମୃତାହତ ନେଇ କୌଣସି ସୂଚନା ନାହିଁ ।