• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଚାନ୍ଦିପୁର ଗୁପ୍ତଚରଙ୍କୁ ଘାଣ୍ଟିବ କ୍ରାଇମବ୍ରାଞ୍ଚ ।

  • କଟକରେ କରିବ ମାରାଥନ୍ ଜେରା ।

  • ୭ଦିନ ଧରି ୫ ଜଣଙ୍କଠୁ ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ସଉଦାର ସତ୍ୟ ଉଗାଳିବ । 

ବାଲେଶ୍ୱର: ଚାନ୍ଦିପୁର ଗୁପ୍ତଚରଙ୍କୁ ଘାଣ୍ଟିବ କ୍ରାଇମବ୍ରାଞ୍ଚ । କଟକରେ କରିବ ମାରାଥନ୍ ଜେରା । ୭ଦିନ ଧରି ୫ ଜଣଙ୍କଠୁ ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ସଉଦାର ସତ୍ୟ ଉଗାଳିବ । ଏଥିପାଇଁ ବାଲେଶ୍ୱରରୁ କଡ଼ା ସୁରକ୍ଷା ଭିତରେ ସିଧାସଳଖ କଟକ ଧରି ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । କ୍ରାଇମ୍‌ବ୍ରାଞ୍ଚ ସହ ଥିଲେ ଦେଶଦ୍ରୋହୀ ଷଡ଼ଯନ୍ତ୍ରର ସେହି ୫ ତଥ୍ୟ ପ୍ରଘଟକାରୀ । ସେମାନେ ହେଲେ ୭ ବର୍ଷ ଧରି ସ୍ଥାୟୀ ନିଯୁକ୍ତି ପାଇଥିବା ଡ୍ରାଇଭର ସଚିନ୍ କୁମାର ଛତ୍ତା, ଠିକା AC ଅପରେଟର୍ ବସନ୍ତ ବେହେରା ଓ ଶେଖ୍ ମୁଶାଫିର, ମେନ୍ଗେଟ୍ କିପର୍ ତାପସ ରଞ୍ଜନ ନାୟକ ଏବଂ ଡିଜି ଅପରେଟର୍ ହେମନ୍ତ କୁମାର ମିସ୍ତ୍ରୀ । କାରଣ ଏମାନଙ୍କ ପାଖରେ ଲୁଚିକି ଅଛି, ଦେଶ ବିରୋଧୀ ଷଡ଼ଯନ୍ତ୍ର ପଛର ଗୁପ୍ତତଥ୍ୟ, ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISIର ଡାର୍ଟି ଗେମ୍ ପ୍ଲାନ ଏବଂ ମାୟାଜାଲ ବିଛାଇ ତଥ୍ୟ ହାତେଇଥିବା ସେହି ପାକିସ୍ତାନୀ ସୁନ୍ଦରୀର ଠିକଣା । ଯାହାଙ୍କୁ ସପ୍ତାହେ ଧରି ଜେରା କରିବା ସହ ସତ ଉଗାଳିବ କ୍ରାଇମବ୍ରାଞ୍ଚ ।

ପ୍ରତିରକ୍ଷାର ଅଭେଦ୍ୟ ଦୁର୍ଗ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ତଥ୍ୟ ବାହାରକୁ ଯାଉଥିବା ନେଇ ପକ୍କା ତଥ୍ୟ ପରେ ଗତ ୧୪ ତାରିଖରୁ ଲାଗି ରହିଛି ହଇଚଇ । ତାହାରି ଭିତରେ ପ୍ରଥମେ ୪ ଠିକା କର୍ମଚାରୀଙ୍କୁ ଧରି ବାଲେଶ୍ୱର ପୋଲିସ ଖୋଳତାଡ଼ କରୁ କରୁ ସାମ୍ନାକୁ ଆସିଛି ସ୍ଥାୟୀ କର୍ମଚାରୀ ସଚିନ୍ କୁମାର ଛତ୍ତାର ଲିଙ୍କ୍ । ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ ITR କଲୋନୀରେ ରହୁଥିବା ୟୁୂପିର ସଚିନ୍, ଅଫିସର ଓ ବୈଜ୍ଞାନିକଙ୍କ ସମ୍ପର୍କରେ ତଥ୍ୟ ଲିକ୍ କରିଥାଇପାରେ । ତେଣୁ ତାକୁ ସ୍କାନରରେ ରଖି ଜେରା ପରେ DRDO ଚିିଫ୍ ସିକ୍ୟୁରିଟି ଅଫିସର ଅନୁରାଗ୍ ସେନ୍‌ଙ୍କୁ ପଚରାଉଚରା କରିଥିଲେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ୍ । ଆଉ ଏହି ଅନ୍ତର୍ଜାତୀୟ ରାକେଟ୍ ସମ୍ପର୍କରେ ବିସ୍ତୃତ ତଦନ୍ତର ଆବଶ୍ୟକତାକୁ ଅନୁଭବ କରି କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇଛି ସ୍ଲିପରସେଲ୍‌ର ଏହି ୫ ଜଣଙ୍କୁ ।

କାହାକୁ ଏମାନେ ତଥ୍ୟ ଯୋଗାଉଥିଲେ ? କେଉଁ ପ୍ରକାରର ଗୁପ୍ତତଥ୍ୟ ପ୍ରଘଟ କରିଛନ୍ତି ? ଗୁପ୍ତ ତଥ୍ୟ ବିନିମୟରେ ଶତ୍ରୁପକ୍ଷଠୁ କେତେ ଅର୍ଥ ପାଉଥିଲେ ? ଏମାନଙ୍କ ଲିଙ୍କରେ ଆଉ କିଏ ଅଛନ୍ତି ? କେମିତି ଚାଲୁଥିଲା ଏହି ନିଷିଦ୍ଧ ନେଟ୍‌ୱାର୍କ ? ସପ୍ତାହେ ଧରି ୫ ଜଣଙ୍କଠୁ ତଥ୍ୟ ଆଦାୟ କରିବ କ୍ରାଇମବ୍ରାଞ୍ଚ । ତେବେ NIA ହେଉ କିମ୍ବା କୌଣସି ଜାତୀୟ ତଦନ୍ତକାରୀ ସଂସ୍ଥା, ଆବଶ୍ୟକସ୍ଥଳେ ତଦନ୍ତ କଲେ ତାଙ୍କୁ ସହଯୋଗ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ।

ଏବେ ଅପେକ୍ଷା, ଏହି ସମ୍ବେଦନଶୀଳ ମାମଲାର ଖୁଲାସା କରିବାରେ କ୍ରାଇମବ୍ରାଞ୍ଚ କେତେ ସଫଳ ହେଉଛି ଏବଂ ଦେଶଦ୍ରୋହୀ କାରବାରକୁ କେତେ ଚେକ୍ ଦେଇପାରୁଛି ।