• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଚଳନ୍ତା ବସରୁ ୩୦ଟି ବୋମା ଉଦ୍ଧାର ।

  • ଗୁଇନ୍ଦା ରିପୋର୍ଟରୁ ମିଳିଥିଲା ସୂଚନା ।

  • କୋଲକତାରୁ ବିହାରକୁ ହେଉଥିଲା ଚାଲାଣ ।

ଚଳନ୍ତା ବସରେ ବଢାଉ କରି ୩୦ଟି ବୋମା ଉଦ୍ଧାର କଲେ ସୁରକ୍ଷାକର୍ମୀ । ବସଟି କୋଲକାତାରୁ ଗୟା ଯାଉଥିଲା । ତେବେ ଏଥିରେ ବୋମା ନିଆଯାଉଥିବା ଆର୍ମି ଇଣ୍ଟେଲିଜେନ୍ସ ୟୁନିଟ୍‌କୁ ସୂଚନା ମିଳିଥିଲା । ସୂଚନାଯୋଗ୍ୟ, କୋଲକାତାରୁ ବିହାରର ଗୟା ଅଭିମୁଖେ ଯାଉଥିବା ମହାରାଣୀ ବସରୁ ବିପୁଳ ପରିମାଣର ଅଫୁଟା ବୋମା ଉଦ୍ଧାର । ଆର୍ମି ଇଣ୍ଟେଲିଜେନ୍ସ ପକ୍ଷରୁ ସୂଚନା ମିଳିଥିଲା ଯେ, ବସ୍‌ରେ ଏକ ବ୍ୟାଗ୍‌ରେ ବିପୁଳ ପରିମାଣ ବୋମା ବିହାରକୁ ପଠାଯାଇଉଛି । ଏହି ଖବର ଆଧାରରରେ ବସ୍‌ର ପିଛା କରିଥିଲା ପାନାଗଡ଼ ଆର୍ମି ଇଣ୍ଟେଲିଜେନ୍ସ । ପଶ୍ଚିମବଙ୍ଗର କୁଲଟି ପୋଲିସ ଷ୍ଟେସନ ପରିସରରେ ଥିବା ଡିବୁଡିହ ଚେକପୋଷ୍ଟ ନିକଟରେ ବସକୁ ଅଟକାଇ ଯାଞ୍ଚ କରାଯାଇଥିଲା । ବସ୍‌ ଭିତରେ ଏକ ବ୍ୟାଗ୍‌ରେ ୩୦ଟି ଅଫୁଟା ବୋମା ରଖାଯାଇଥିଲା । ବସ୍‌ ଚାଳକ ଓ ହେଲ୍‌ପରକୁ ଅଟକ ରଖି ପଚରାଉଚରା କରାଯାଉଛି ।

ବୋମାଗୁଡ଼ିକୁ ପଶ୍ଚିମବଙ୍ଗ ପୋଲିସକୁ ଜିମା କରାଯାଇଛି । ଏହି ଘଟଣାରେ ପଶ୍ଚିମବଙ୍ଗ ପୋଲିସ ଏବେ କୌଣସି ପ୍ରତିକ୍ରିୟା ଦେବାକୁ ପ୍ରସ୍ତୁତ ନୁହେଁ । ଆସାନସୋଲ-ଦୁର୍ଗାପୁର ପୋଲିସ କମିଶନର ଅଜୟ କୁମାର ଠାକୁର କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ଏନେଇ କିଛି କୁହାଯାଇପାରିବ ନାହିଁ । ବୋମା ନିଷ୍କ୍ରିୟକାରୀ ଦଳକୁ ଡକାଯାଇଛି । ତଦନ୍ତ ପରେ କିଛି କୁହାଯାଇପାରେ । ଜଣେ ସନ୍ଦିଗ୍ଧଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି ।

ପଶ୍ଚିମବଙ୍ଗର ପାନାଗଡ଼ରେ ଆର୍ମି ବେସ୍‌ ରହିଛି । ଗୁଇନ୍ଦା ବିଭାଗ ପକ୍ଷରୁ ତାଙ୍କୁ ଏହି ସୂଚନା ପ୍ରାପ୍ତ ହୋଇଥିଲା । ତାଙ୍କୁ ଖବର ଦିଆଯାଇଥିଲା ଯେ, ବସ୍‌ରେ ଏକ କଳା ବ୍ୟାଗ୍‌ରେ ଦେଶୀ ବୋମା ଲୁଚାଇ ରଖାଯାଇଛି । ଆଉ ସେଗୁଡ଼ିକୁ ବିହାର ନିଆଯାଉଛି । ଏହି ଖବର ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ତେବେ ଯେଉଁ ବ୍ୟାଗ୍‌ରେ ବମ୍‌ ଥିଲା ସେଥିରୁ ଏକ ଚିଠି ମିଳିଛି । ଯାହା ପାଖକୁ ଏହି ବମ୍‌ ପଠାଯାଉଥିଲା, ତାର ନାଁ ଏହି ଚିଠିରେ ଲେଖାଯାଇଛି । ଏହା ସହିତ ବୋମାର ରେଟ୍‌ ମଧ୍ୟ ଲେଖାଯାଇଥିଲା ।

ପୋଲିସର କହିବାନୁଯାୟୀ ବମ୍‌ ଭର୍ତ୍ତି ବ୍ୟାଗ୍‌ରୁ ଯେଉଁ କାଗଜ ମିଳିଥିଲା, ସେଥିରେ କୋଡ୍‌ ୱାର୍ଡରେ ଏକ ନମ୍ବର ୧୨୪୬୧ ଲେଖାଯାଇଛି । ସେହି କାଗଜରେ ଆହୁରି ମଧ୍ୟ ଲେଖାଯାଇଥିଲା ଯେ, ଗୋଟିଏ ବୋମାର ଦାମ୍‌ ଏକ ହଜାର ଟଙ୍କା । ଆର୍ଥାତ ବ୍ୟାଗ୍‌ରେ ୩୦ଟି ବୋମା ରହିଥିଲା ମାନେ ଏହାର ଦାମ୍‌ ୩୦ ହଜାର ଟଙ୍କା । ଖାଲି ସେତିକି ନୁହେଁ ବୋମା ପାଇଁ ୫୦୦୦ ଟଙ୍କା ଆଡ୍‌ଭାନ୍ସ ଦିଆଯାଇଥିବା ମଧ୍ୟ କାଗଜରେ ଲେଖାଯାଇଛି ।