• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଥିରୁବନ୍ତପୁରମ୍ : କରୋନାର ନୂଆ ହଟସ୍ପଟ୍ ପାଲଟିବ କି କେରଳ ? କରୋନା ଭାଇରସର ଦ୍ୱିତୀୟ ଲହରୀକୁ ରୋକିବା ପାଇଁ କେରଳର ରଣନୀତି ଉଚ୍ଚ ପ୍ରଶଂସିତ ହୋଇଥିଲା । କିନ୍ତୁ ଦେଶରେ ସଂକ୍ରମଣ ସାମାନ୍ୟ କମିଥିବା ବେଳେ କେରଳରେ ସଂକ୍ରମଣ ବୃଦ୍ଧି ଚିନ୍ତା ବଢ଼ାଇ ଦେଇଛି । କେରଳ ତୃତୀୟ ଲହରୀର କେନ୍ଦ୍ରସ୍ଥଳୀ ପାଲଟିବ ବୋଲି ଆଶଙ୍କା କରାଯାଉଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଦ୍ୱାରା କରାଯାଇଥିବା ସେରୋ ସର୍ଭେରୁ ଜଣାପଡ଼ିଛି କେରଳ ଲୋକଙ୍କ ଠାରେ ସର୍ବନିମ୍ନ ଆଣ୍ଟିବଡି ୪୪.୪ ପ୍ରତିଶତ ରହିଛି । ଜୁନ୍ ୧୪ ରୁ ଜୁଲାଇ ୬ ମଧ୍ୟରେ ଏହି ସର୍ଭେ କରାଯାଇଥିଲା । ଦକ୍ଷିଣ କେରଳରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସଂକ୍ରମିତ ସଂଖ୍ୟା ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ପଡୋଶୀ ରାଜ୍ୟମାନଙ୍କ ସହିତ ତୁଳନା କଲେ, ଜୁନ୍ ୬ରେ ତାମିଲନାଡୁରେ ୨୦ ହଜାର ୪୨୧ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଉ ଦେଶର କୌଣସି ରାଜ୍ୟରେ ଦିନକୁ ୨୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ଏହା ଶେଷ ଥର ଥିଲା । ମଙ୍ଗଳବାର ଦିନ ତାମିଲନାଡୁରେ ୧୭୬୭ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି କର୍ଣ୍ଣାଟକରେ ମଙ୍ଗଳବାର ଦିନ ୧.୪୬ ପ୍ରତିଶତ ଟିଆରପି ସହିତ ୧୫୦୧ରୋଗୀ ଥିବାବେଳେ କେରଳରେ କୋଭିଡ -୧୯ ରୋଗୀଙ୍କ ଗ୍ରାଫ ବଢ଼ିବାରେ ଲାଗିଛି । ବର୍ତ୍ତମାନ ରାଜ୍ୟରେ ସଂକ୍ରମିତ ସଂଖ୍ୟା ୩୩ ଲକ୍ଷ ଅତିକ୍ରମ କରି ସାରିଛି । ମୋଟ ରୋଗୀଙ୍କ ସଂଖ୍ୟାରେ ମହାରାଷ୍ଟ୍ର ଶୀର୍ଷ ଏବଂ ଦ୍ୱିତୀୟ ସ୍ଥାନରେ ରହିଛି କେରଳ ।

୮୫୯ ଲୋକ ପ୍ରତି ବର୍ଗ କିଲୋମିଟର ସହ ରାଜ୍ୟର ଜନସଂଖ୍ୟାର ଘନତା ଅଧିକ । ଏଥିସହ କେରଳରେ ବୃଦ୍ଧ ଜନସଂଖ୍ୟା ମଧ୍ୟ ଅଧିକ । ପରିସଂଖ୍ୟାନ ଅନୁସାରେ ଅତିକମରେ ୧୫ ପ୍ରତିଶତ ଜନସଂଖ୍ୟା ୬୦ ବର୍ଷ ବୟସରୁ ଅଧିକ । ଏହା ବ୍ୟତୀତ ମଧୁମେହ ଭଳି ରୋଗୀଙ୍କ ସଂଖ୍ୟା ଅଧିକ ହେତୁ କରୋନା ବିରୋଧରେ ଲଢ଼େଇ ବର୍ତ୍ତମାନ କଷ୍ଟସାଧ୍ୟ ହୋଇ ପଡ଼ିଛି । ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁସାରେ ମନ୍ଥର ପରୀକ୍ଷା ହାର, ଦ୍ରୁତ ଆଣ୍ଟିଜେନ୍ ପରୀକ୍ଷା, ଚାକର ଉପରେ ନିର୍ଭରଶୀଳତା ସଂକ୍ରମଣ ବୃଦ୍ଧିର ଅନ୍ୟତମ କାରଣ । ରାଜ୍ୟରେ ଅମ୍ଳଜାନର ଅଭାବ ନାହିଁ, ତଥାପି ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଚାପରେ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ ସପ୍ତାହ ତୁଳନାରେ ବେଡର ଚାହିଦା ୧୪ ପ୍ରତିଶତ ବୃଦ୍ଧି ପାଇଛି । ଚଳିତ ସପ୍ତାହରେ ୮୦ ପ୍ରତିଶତ ବେଡରେ ଚିକିତ୍ସିତ ହେଉଛନ୍ତି କରୋନା ରୋଗୀ । ଦେଶର ୩୦ଟି ପ୍ରଭାବିତ ଜିଲ୍ଲା ମଧ୍ୟରୁ ୧୦ଟି କେରଳରେ ରହିଛି ।

ସେପଟେ 'ଆର' ଫ୍ୟାକ୍ଟର ଉପରେ ଧ୍ୟାନ ଦେବାକୁ ରାଜ୍ୟ ଗୁଡ଼ିକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଚିଠି କରାଯାଇଛି । ଦେଶରେ ପୁଣି ବଢ଼ୁଛି ସଂକ୍ରମଣ । ପାର୍ବଣ ଋତୁରେ ଆର୍ ଫ୍ୟାକ୍ଟର ଉପରେ ନଜର ରଖିବା ଉଚିତ୍ । ଏହାରି ଭିତରେ ବିଶେଷଜ୍ଞମାନେ କରୋନା ଭାଇରସର ତୃତୀୟ ଲହରୀ ସମ୍ପର୍କରେ ବାରମ୍ବାର ଚେତାବନୀ ଦେଉଛନ୍ତି । କିଛି ଦିନ ପରେ ଆରମ୍ଭ ହୋଇଯିବ ପାର୍ବଣ ଋତୁ, ଆଉ ଏହିପାଇଁ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଯାଇଛି । ବଢ଼ୁଥିବା କରୋନା ସଂକ୍ରମଣ ଉପରେ ନଜର ରଖିବାକୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ କହିଛନ୍ତି କେନ୍ଦ୍ର ସରକାର ।