• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଘର କାମ କରିବେ ନା କାମକୁ ଯିବେ ଚିନ୍ତାରେ ଅକ୍ଷୟ

  • ଘରେ ରହିଲେ ରୋଜଗାର ମିଳିବନି, କାମକୁ ଗଲେ ପିଲାଙ୍କୁ ଦେଖିବ କିଏ ?

  • ସ୍ତ୍ରୀକୁ ହରାଇ ସ୍ୱାମୀ ଆଖିରୁ ଲୁହ ଶୁଖୁନି 

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ) : ଆମେ ମୁଲିଆ ଲୋକ । ଖଟିଲେ ଖାଇବୁ । ଆମକୁ ଏକାକରି ସ୍ତ୍ରୀ ଆରପାରିକୁ ଚାଲିଗଲା । କାମ କରିବି କି ରୋଷେଇ କରିବି । ଦୁଇ ଛୁଆକୁ କିପରି ସମ୍ଭାଳିବି ? କାମକୁ ନଗଲେ ଛୁଆ ଉପାସ, ଘରେ ରହିଲେ ପଇସା ନାହିଁ । ଛୁଆ ଦିଇଟା ମା’କୁ ଖୋଜୁଛନ୍ତି । କାନ୍ଦି କାନ୍ଦି ଗଡ଼ି ଯାଉଛନ୍ତି । ଛୁଆଙ୍କ ଆଗରେ ଧୈର୍ଯ୍ୟହରା ହେଉନଥିଲେ ହେଁ ସ୍ତ୍ରୀକୁ ହରାଇ କୋହ ସମ୍ଭାଳି ପାରୁନାହାନ୍ତି ସ୍ୱାମୀ ।

ଦିନଥିଲା ହସ ଖୁସିରେ ଗଢି ଉଠୁଥିଲା ଛୋଟ ପରିବାର । ପରିବାର କହିଲେ ସ୍ୱାମି , ସ୍ତ୍ରୀ , ପୁଅ ଓ ଝିଅ । ଏହି ଛୋଟ ପରିବାର ଉପରେ ହଠାତ ମାଡି ଆସିଲା ଦୁଃଖର କଳା ବାଦଲର ଦାରୁଣ ଦୁଃଖ । ଦାନବ ସାଜି ଆସିଲା ମହାମାରୀ । କରୋନାରେ ଆକ୍ରାନ୍ତ ହେବାପରେ ସ୍ତ୍ରୀକୁ କଟକ ବଡ଼ ମେଡ଼ିକାଲ ନିଆଯାଇଥିଲା । ହେଲେ ସବୁ ମୋହ ତୁଟାଲ ପିଲାଛୁଆଙ୍କୁ ଛାଡ଼ିଗଲା ମା’ । ୬ ବର୍ଷର ଝିଅ ଓ ୨ ବର୍ଷର ପୁଅକୁ ନେଇ ଅଭାବି ସଂସାରରେ ବାକିତକ ଜୀବନ କିପରି କାଟିବେ ଚିନ୍ତାରେ ଅଛନ୍ତି ପଟ୍ଟାମୁଣ୍ଡାଇ ବ୍ଳକ ବଲୁରିଆ ଗାଁର ଅକ୍ଷୟ ରାଉତ ।

ଦିନ ମଜୁରିଆ ଭାବେ କାମ କରନ୍ତି ଅକ୍ଷୟ । ଯେତିକି ରୋଜଗାର ହୁଏ, ସେଥିରେ ପରିବାର ଚଳିଯାଏ । କୋଭିଡରେ ପଡି ସ୍ତ୍ରୀ ଶଶୀକଳା ଆର ପାରିକୁ ଚାଲିଲେ ପରେ ଏବେ ୨ ଟି ଛୋଟ ଛୁଆଙ୍କ ଦାୟିତ୍ୱ ଅକ୍ଷୟଙ୍କ ଉପରେ । ଗୋଟିଏ ପପଟେ ଦାରିଦ୍ର୍ୟ ଅନ୍ୟ ପଟରେ ଛୋଟ ଛୋଟ ୨ ଟି ଛୁଅ । ପିଲାଙ୍କ କଥା ସମ୍ଭାଳିବେ ନା କାମ କରିବେ । ମୂଲ ଲାଗିବାକୁ ଗଲେ କିଏ ଦେଖାଶୁଣା କରିବ ଛୁଆଙ୍କର ? ଏପଟେ ଘରେ ରହିଲେ ପିଲାଙ୍କ ମୁହଁକୁ ଦାନା ଯୋଗାଇବେ କିପରି ? ଏମିତି ସନ୍ଦିହାନରେ ଅଛନ୍ତି ଅକ୍ଷୟ ।

କଅଁଳ ନିଷ୍ପାପ ନିରିହ ୨ ଛୁଆ ସବୁବେଳେ ମାକୁ ଖୋଜୁଛନ୍ତି । କେତେବେଳ କାନ୍ଦି କାନ୍ଦି ଶୋଇପଡନ୍ତି । ମା ମଲା ପରେ ପଡୋଶୀ ବି କେତେ କଣ ସାହାଯ୍ୟ କରିବେ । ସରକାରୀ ସୁବିଧା ସୁଯୋଗ କିଛି ଯୋଗାଇ ଦିଆଗଲେ ତେବେ ଅକ୍ଷୟଙ୍କ ପରିବାରକୁ ସାହାଯ୍ୟ ହୁଅନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।