• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଟିକାକରଣ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ

  • ବର୍ତ୍ତମାନ ମୋଟ ୮୩ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଗଲାଣି

  • ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା

  • ଜାନୁୟାରୀ ୧୬ରୁ ଦେଶବ୍ୟାପି ଆରମ୍ଭ ହୋଇଥିଲା ଟିକାକରଣ ଅଭିଯାନ

ନୂଆଦିଲ୍ଲୀ : କରୋନା ଟିକାକରଣ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଭାରତ । ଦେଶରେ ବର୍ତ୍ତମାନ ସୁଦ୍ଧା ୮୩ କୋଟି ଲୋକଙ୍କୁ ଟିକାକରଣ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶରେ ଟିକାକରଣ ନେଇ ଜାରି ରହିଥିବା ସର୍ବବୃହତ ଅଭିଯାନ କ୍ରମରେ କେବଳ ୨୩ ତାରିଖରେ ୬୪ ଲକ୍ଷରୁ ଅଧିକ ଟିକାକରଣ କରାଯାଇଛି ।

ଫଳରେ ବର୍ତ୍ତମାନ ସୁଦ୍ଧା ମୋଟ ୮୩ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଗଲାଣି । ଗତ ଜାନୁୟାରୀ ୧୬ରୁ ଦେଶବ୍ୟାପି ଆରମ୍ଭ ହୋଇଥିଲା ଟିକାକରଣ ଅଭିଯାନ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଓ ପରେ ଫ୍ରଣ୍ଟଲାଇନ୍ ୱାର୍କର୍ସଙ୍କ ଟିକାକରଣ କରାଯାଇଥିଲା । ଆଉ ସାଧାରଣ ଜନତାଙ୍କ ପାଇଁ ଟିକା ଉପଲବ୍ଧ କରାଇବା ପାଇଁ ଜୁନ ୨୧ରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ସେପଟେ ପରସ୍ପରର କୋଭିଡ ଟିକାକରଣ ସାର୍ଟିଫିକେଟକୁ ସ୍ୱୀକୃତି ଦେଇ ଅନ୍ତର୍ଜାତୀୟ ଯାତ୍ରାକୁ ସୁଗମ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକା ଗସ୍ତରେ ଥିବା ମୋଦି କହିଛନ୍ତି, ଭାରତର ମ୍ୟାନୁଫ୍ୟାକଚରିଂ କ୍ଷମତାକୁ କ୍ୱାଡ ସଦସ୍ୟ ରାଷ୍ଟ୍ର ଉପଯୋଗ କରିବା ଉଚିତ । ସେହିପରି କୋଭିଡ ଟିକାର ଡାଇଗ୍ନୋଷ୍ଟିକ ଏବଂ ଔଷଧରୁ TRIPS ଛାଡ଼୍ ପାଇଁ ବିଶ୍ୱ ବାଣିଜ୍ୟ ସଂଗଠନ ନିକଟରେ ଦାବି କରିଛି ଭାରତ । ଏହା ଦ୍ୱାରା କରୋନା ମୁକାବିଲାର ଅଭିଯାନକୁ ତ୍ୱରାନ୍ୱିତ କରାଯାଇ ପାରିବ ।

କଞ୍ଚାମାଲ ମିଳିଲେ ବହୁ ଦେଶକୁ ଭାରତ କରୋନା ଟିକା ଯୋଗାଇ ଦେଇ ପାରିବ ବୋଲି କହିଛନ୍ତି ମୋଦି । କରୋନା ମୁକାବିଲାରେ କିପରି ଭାରତ ଅନ୍ୟ ଦେଶକୁ ସାହାଯ୍ୟ କରିଛି, ତାହା ସୂଚାଇ ଦେଇ ସେ କହିଛନ୍ତି, କୋ-ଓ୍ୱିନ୍ ଆପର ବ୍ୟବହାର ପାଇଁ ବହୁ ଦେଶକୁ ଅନୁମତି ଦିଆଯାଇଛି । ପିପିଇ କିଟ, ଔଷଧ ଓ ଅନ୍ୟ କୋଭିଡ ସାମଗ୍ରୀ ମଧ୍ୟ ବହୁ ଦେଶକୁ ଦିଆଯାଇଛି । ଭାରତରେ ବିଶ୍ୱର ସବୁଠୁ ବଡ଼ କୋଭିଡ ଟିକା ଅଭିଯାନ ଚାଲିଥିବା କହିଛନ୍ତି ମୋଦି । ଦିନକରେ ଅଢ଼େଇ କୋଟି ଡୋଜ୍ ଟିକା ଦିଆଯାଇଥିବାର ମଧ୍ୟ ସେ ବିଶ୍ୱବାସୀଙ୍କୁ ସୂଚନା ଦେଇଛନ୍ତି ।