• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ରାଜ୍ୟରେ ୧୫୫୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇ ଥିବାବେଳେ ଖୋର୍ଦ୍ଧାରୁ ସର୍ବାଧିକ ୪୭୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୯୦୪ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୬୫୪ ରହିଛି। କଟକରୁ ୨୪୧ ଚିହ୍ନଟ ହୋଇଛନ୍ତି। 

ସେହିପରି ରାଜ୍ୟରେ ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ରୁ ୧୧ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ, କଟକରୁ ୧୦, ଖୋର୍ଦ୍ଧାରୁ ୮, ଭଦ୍ରକରୁ ୬, ଯାଜପୁରରୁ ୫, ଗଞ୍ଜାମ, ଜଗତସିଂହପୁର ଓ ପୁରୀରୁ ୪ ଜଣ ଲେଖାଏ, ବାଲେଶ୍ୱର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ମୟୂରଭଞ୍ଜରୁ ୨ ଜଣ ଲେଖାଏ, 
ବୌଦ୍ଧ, ଦେବଗଡ଼ ଓ ଗଜପତି, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୮୩୪ରେ ପହଞ୍ଚିଛି। 

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯,୭୫,୬୯୦ରେ ପହଞ୍ଚିଛି। ତେବେ ଆକ୍ଟିଭ୍‌ କେସ୍‌ ୧୬,୭୧୫ ଥିବାବେଳେ ୯,୫୩,୦୮୮ ଜଣ ସୁସ୍ଥ ହୋଇଛନ୍ତି।

ଜୁଲାଇ ୨୮ ରିପୋର୍ଟ ଅନୁସାରେ, ରାଜ୍ୟରେ ୧୬୧୫  ସଂକ୍ରମିତ ଚିହ୍ନଟ ହୋଇଥିଲେ। କ୍ୱାରେଣ୍ଟିନରୁ ୯୩୭ ଜଣ ଚିହ୍ନଟ ହୋଇ ଥିବାବେଳେ ଲୋକାଲ କଣ୍ଟାକ୍ଟସ ଥିଲେ ‌ ୬୭୮ ଥିଲା।

ଆଗାମୀ ୧୦ରୁ ୧୫ ଦିନ ମଧ୍ୟରେ କରୋନାରେ ବଳକା ମୃତ୍ୟୁ ସଂଖ୍ୟାର ଅଡ଼ିଟ ଶେଷ ହେବ । ବର୍ତ୍ତମାନ କରୋନା ମୃତ୍ୟୁର ଅଡ଼ିଟ ପରେ ସମସ୍ତ ତଥ୍ୟ ପ୍ରଦାନ କରାଯାଉଛି । ମୃତକଙ୍କ ପରିବାର କି ପ୍ରକାର ସୁବିଧା ଓ ସୁଯୋଗ ପାଉଛନ୍ତି, ସେସବୁ ଦିଗକୁ ଅନୁଧ୍ୟାନ କରି ଅଡ଼ିଟ ରିପୋର୍ଟ ଦିଆଯାଉଛି । ଏନେଇ ଡିଏମଇଟି ମୁଖ୍ୟ ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ରହିଛି। ଡିଏମ୍ଇଟି ମୁଖ୍ୟ ସିବିକେ ମହାନ୍ତି ଏହା କହିଛନ୍ତି। ସେ କହିଛନ୍ତି, କିଛି ଦିନ ହେଲା ଦୈନିକ ପଜିଟିଭ ସଂଖ୍ୟା ୧୬୦୦/୧୭୦୦ ଭିତରେ ହିଁ ଟ୍ରେଣ୍ଡ ରହୁଛି। ଵିଶେଷ ବଢ଼ି ନାହିଁ। ତେଣୁ ସଂକ୍ରମଣ ହାର, ବିଭିନ୍ନ ଜିଲ୍ଲାର ସ୍ଥିତିକୁ ସମୀକ୍ଷା କରି ରାଜ୍ୟ ସରକାର ଅନଲକ୍‌ ପ୍ରକ୍ରିୟା ନିଷ୍ପତ୍ତି ନେବେ।  ଓଡ଼ିଶା ସମେତ ୫ ରାଜ୍ୟରେ କେସ୍‌ ଲୋଡ଼ ଅଧିକ ରହୁଛି ବୋଲି କେନ୍ଦ୍ର କହିଲେ ମଧ୍ୟ ସ୍ଥିତି ସେଭଳି ନାହିଁ। ଜାତୀୟ ହାରରେ ଆମ ସଂଖ୍ୟା କମ୍‌ ରହୁଛି।