• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ: କରୋନା ମହାମାରୀର ତୃତୀୟ ଲହରୀ ପ୍ରସଙ୍ଗରେ ବିଶେଷଜ୍ଞଙ୍କ ଚେତାବନୀ ମଧ୍ୟରେ ସରକାର ସୋମବାର ଦିନ COVID-19 ଆଣ୍ଟିଜେନ୍ ଟେଷ୍ଟିଂ କିଟର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ତତ୍କାଳ ପ୍ରଭାବ ପାଇଁ COVID-19 ରାପିଡ୍ ଆଣ୍ଟିଜେନ୍ ଟେଷ୍ଟିଂ କିଟ୍ ରପ୍ତାନିକୁ ସୀମିତ ବର୍ଗରେ ରଖାଯାଇଛି ବୋଲି ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (DGFT) ଏକ ବିଜ୍ଞପ୍ତିରେ ପ୍ରକାଶ କରିଛି ।

ଘରୋଇ ଉପଲବ୍ଧତା ବୃଦ୍ଧି ପାଇଁ ପ୍ରତିବନ୍ଧକ ଲଗାଯାଇଛି

ରପ୍ତାନିକାରୀଙ୍କୁ ପ୍ରତିବନ୍ଧକରେ ଅନ୍ତର୍ଭୁକ୍ତ ସାମଗ୍ରୀର ରପ୍ତାନି ପାଇଁ DGFTରୁ ଲାଇସେନ୍ସ କିମ୍ବା ମଞ୍ଜୁରୀ ନେବାକୁ ପଡ଼ିଥାଏ । ଘରୋଇ ଉପଲବ୍ଧତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ପ୍ରତିବନ୍ଧକ ଲଗାଯାଇଛି । ନିକଟ ଭବିଷ୍ୟତରେ ଦେଶରେ ମହାମାରୀର ସମ୍ଭାବ୍ୟ ତୃତୀୟ ଲହରୀ ବିଷୟରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ।

୩ କୋଟି ୨୨ ଲକ୍ଷ ଅତିକ୍ରମ କରିସାରିଛି ସଂକ୍ରମିତଙ୍କ ସଂଖ୍ୟା

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ସୋମବାର ଦିନ ନୂତନ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୨୨ ଲକ୍ଷ ୨୫ ହଜାର ୫୧୩ କୁ ବୃଦ୍ଧି ପାଇଛି । ଏହାସହ ମହାମାରୀରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୩୧ ହଜାର ୬୪୨କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩ ଲକ୍ଷ ୮୧ ହଜାର ୯୪୭ ।

୫୪ କୋଟି ୫୮ ଲକ୍ଷର ଅଧିକ ଟିକାକରଣ ହୋଇସାରିଛି

କରୋନା ସଂକ୍ରମଣ ରୋକିବା ପାଇଁ ସମଗ୍ର ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି । ଏପର୍ଯ୍ୟନ୍ତ ୫୪ କୋଟି ୫୮ ଲକ୍ଷ ୫୭ ହଜାର ୧୦୮ ଡୋଜ ଲୋକଙ୍କର ଟିକାକରଣ ହୋଇସାରିଛି । ସେଥିମଧ୍ୟରୁ ୪୨କୋଟି ୪୦ ଲକ୍ଷ ୭୨ ହଜାର ୭୫୦ ଲୋକଙ୍କୁ ପ୍ରଥମ ଡୋଜ ଏବଂ ୧୨ କୋଟି ୧୭ ଲକ୍ଷ ୮୪ ହଜାର ୩୫୮ ଲୋକଙ୍କୁ ଉଭୟ ଡୋଜ୍ ଟିକା ଦିଆଯାଇଛି ।

ସେପଟେ ମହାରାଷ୍ଟ୍ରରେ ପୁଣି ବୃଦ୍ଧି ପାଉଛି ସଂକ୍ରମଣ । ରାଜ୍ୟରେ ଡେଲଟା ଭାରିଏଣ୍ଟ୍ ଭୟ ମଧ୍ୟ ବଢ଼ି ବଢ଼ି ଚାଲିଛି । ସୋମବାର ଦିନ ଡେଲଟା ଭାରିଏଣ୍ଟର ୧୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ନୂତନ ରୋଗୀଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଡେଲଟା ପ୍ଲସ୍ ଭାରିଏଣ୍ଟ ରୋଗୀଙ୍କ ସଂଖ୍ୟା ୭୬କୁ ବୃଦ୍ଧି ପାଇଛି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ମିରାଜ କୋହ୍ଲାପୁରରୁ ୬ଟି, ରତ୍ନାଗିରିରୁ ୩ଟି ଏବଂ ସିନ୍ଧୁଦର୍ଗରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଡେଲଟା ଭାରିଏଣ୍ଟ୍ ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଛି ।