• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • କାମ ଦେଉନାହିଁ ଲକ୍‌ଡାଉନ୍‌

  • କମୁନି ସଂକ୍ରମଣ

  • ଟିପିଆର୍ ରହିଛି ୩.୫୭ ପ୍ରତିଶତ

  • କେବେ କମିବ ସଂକ୍ରମଣ?

ଭୁବନେଶ୍ୱର: ଲକଡାଉନ୍‌ ଓ ସପ୍ତାହନ୍ତ ସଟଡାଉନ୍‌ ସତ୍ତ୍ୱେ କମୁନି କରୋନା କୋପ। ଖାସ୍ କରି ଉପକୂଳର ୫ ଜିଲ୍ଲା ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଜଗତସିଂହପୁରରେ ସ୍ଥିତି ଅତି ଉଦବେଗଜନକ ରହିଛି। ଏହାକୁ ନେଇ ଚିନ୍ତା ପ୍ରକଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଯାଞ୍ଚ ବଢାଇବା ସହ କଟକଣାକୁ କଡାକଡ଼ି କରିବାକୁ ବିଭାଗ, ରାଜ୍ୟକୁ ପରାମର୍ଶ ଦେଇଛି। ଏପଟେ ଟେଷ୍ଟିଂ ବଢିଥିବାରୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସେହିପରି ଏହି ଜିଲ୍ଲାଗୁଡିକରେ ୩ ମାସିଆ ସର୍ଭିଲାନ୍ସ ଚାଲିଥିବା ସୂଚନା ଦେଇଛନ୍ତି ଡିଏମଇଟି। ଅନ୍ୟପକ୍ଷରେ ରାଜ୍ୟରେ ସ୍ଥିତି ଅନୁଧ୍ୟାନ କରୁଥିବା କେନ୍ଦ୍ରୀୟ ଟିମ୍ ଯାହା ପରାମର୍ଶ ଦେବେ ତାକୁ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି।

ସାମୟିକ ଆଶ୍ୱସ୍ତୀ ପରେ କରୋନା ସଂକ୍ରମଣକୁ ନେଇ ପୁଣି ଚିନ୍ତା ବଢିଛି। ଜୁନ୍ ମାସ ଶେଷ ଆଡ଼କୁ ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ପରିଲକ୍ଷିତ ହୋଇଥିଲେ ମାତ୍ର ଜୁଲାଇ ଆରମ୍ଭରେ ହଠାତ୍ ବଦଳିଯାଇଛି ଟ୍ରେଣ୍ଡ୍। ଉପକୂଳର ୫ ଜିଲ୍ଲା ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଓ ବାଲେଶ୍ୱରରେ ପୁଣି ବଢିବାରେ ଲାଗିଛି ମହାମାରୀର କୋପ। ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଉଦବେଗ ପ୍ରକାଶ କରିବା ସହ ଏସବୁ ଜିଲ୍ଲା ପ୍ରତି ସସ୍ୱତନ୍ତ୍ର ଧ୍ୟାନ ଦେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି। ଗତ ୨୪ ଘଣ୍ଟାରେରେ ରାଜ୍ୟରେ ମୋଟ ୨ହଜାର ୮୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଉପକୂଳର ୫ ଜିଲ୍ଲାରୁ ଅଛନ୍ତି ୧୩ଶହ ୬୦ ଜଣ। କିଛି ଦିନ ହେଲା ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ୪ଶହରୁ ୫ଶହ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ସଂଖ୍ୟା ୫୯୦କୁ ବଢିଯାଇଛି। କଟକରେ ୪୪୧, କେନ୍ଦ୍ରାପଡାରେ ୫୭, ଜଗତସିଂହପୁରରେ ୧୧୯ ଓ ବାଲେଶ୍ୱରରେ ୧୫୩ ରୋଗୀ ଚିହ୍ନଟ ହୋଇଛନ୍ତି। ତେଣୁ ଏସବୁ ଜିଲ୍ଲାରେ ଟେଷ୍ଟିଂ ଓ ସର୍ଭିଲାନ୍ସକୁ ବଢାଇବା ସହ କଟକଣାକୁ କଠୋର କରିବା ଲାଗି ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। ତେବେ କେନ୍ଦ୍ରର ପରାମର୍ଶ ଅନୁସାରେ ଏସବୁ ଜିଲ୍ଲାରେ ୩ ମାସିଆ ସର୍ଭିଲାନ୍ସ ଚାଲିଛି, ଘରକୁ ଘର ବୁଲି ଆକ୍ରାନ୍ତଙ୍କୁ ଚିହ୍ନଟ ଲାଗି ଉଦ୍ୟମ କରାଯାଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।


ତେବେ କଟକଣାସତ୍ତ୍ୱେ ଉପକୂଳବର୍ତ୍ତୀ ଜିଲ୍ଲାରେ କାହିଁକି କମୁନି କରୋନା କୋପ? ତାକୁ ନେଇ ଉଠିଛି ପ୍ରଶ୍ନ। ଏବେ ରାଜ୍ୟର ଟେଷ୍ଟ ପଜିଟିଭିଟି ହାର ବା ଟିପିଆର୍ ରହିଛି ୩.୫୭ ପ୍ରତିଶତ। ମାତ୍ର ଉପକୂଳ ଜିଲ୍ଲାଗୁଡିକୁ ଦେଖିଲେ ବାଲେଶ୍ୱରରେ ଟିପିଆର ୯.୦୫ ପ୍ରତିଶତ ଥିବା ବେଳେ ଢେଙ୍କାନାଳରେ ୮.୫୧, କଟକରେ ୮.୨୦ ଓ ଖୋର୍ଦ୍ଧାରେ ଟିପିଆର ରହିଛି ୭.୩୭ ପ୍ରତିଶତ। କ୍ରମାଗତ ଭାବେ ଖସୁଥିବା ସଂକ୍ରମଣ ପୁଣି କାହିଁକି ଉପର ମୁହାଁ ହେଲା ତାକୁ ନେଇ ଆରମ୍ଭ ହୋଇଛି ତର୍ଜମା। ସରକାରଙ୍କ କୋଭିଡ୍ ପରିଚାଳନାରେ ବିଫଳତା ନା ଲୋକଙ୍କ ବେପରୁଆ ଭାବ, ଏଥିପାଇଁ ଦାୟୀ ତାକୁ ନେଇ ଚାଲିଛି ତର୍ଜମା। ତେବେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ପ୍ରଶାସନିକ ଓ ବ୍ୟବସାୟ ପେଣ୍ଠସ୍ଥଳୀ ହୋଇଥିବାରୁ ଏସବୁ ଜିଲ୍ଲାକୁ ଲୋକଙ୍କ ଯାଆସ ଲାଗି ରହୁଛି। ଫଳରେ ସଂକ୍ରମଣ ବଢୁଛି ଏହାକୁ ଦୃଷ୍ଟିରେ ରଖି ଟେଷ୍ଟିଂକୁ ବି ବଢାଯାଇଥିବା ଡିଏମଇଟି କହିଛନ୍ତି।

ଦେଶର ମୋଟ୍ କୋଭିଡ୍ ଆକ୍ରାନ୍ତଙ୍କର ୮୦ ପ୍ରତିଶତ ଏବେ କେରଳ ଓ ମହାରାଷ୍ଟ୍ରରେ ଅଛନ୍ତି। ତେବେ ଉଦବେଗର କଥା ହେଉଛି ତାମିଲନାଡୁ ପରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି। ରାଜ୍ୟର ୧୦ ଜିଲ୍ଲାରେ ସଂକ୍ରମଣ କମୁନଥିବାରୁ ସ୍ଥିତି ଅନୁଧ୍ୟାନ ଲାଗି ଆସିଛି କେନ୍ଦ୍ରୀୟ ଟିମ୍। କରୋନା ଉପରେ କାବୁ ପାଇବା ଲାଗି କେନ୍ଦ୍ରୀୟ ଟିମ୍ କି ପରାମର୍ଶ ଦେଉଛି ଏବେ ତା ଉପରେ ନଜର।