• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ରାଜ୍ୟରେ ଇ-ଭେଇକିଲ୍‌ ନୀତି ୨୦୨୧କୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ସପ୍ତାହରେ ରାଜ୍ୟ ଇ-ଭେଇକିଲ୍‌ ନୀତିକୁ ରାଜ୍ୟ ସରକାର କ୍ୟାବିନେଟରେ ମଞ୍ଜୁରୀ ଦେଇଥିଲେ।

ଇ-ଭେଇକିଲ୍‌ ନୀତି ଅନ୍ତର୍ଗତ ୨୦୨୫ ସୁଦ୍ଧା ରାଜ୍ୟରେ ବ୍ୟବହୃତ ମୋଟ ଯାନବାହନର ୨୦% ବ୍ୟାଟେରୀ ଗାଡ଼ି ଚଳାଚଳ କରିବ। ଏଥିପାଇଁ ଗ୍ରାହକ ଓ ବ୍ୟବସାୟୀଙ୍କୁ ପୋତ୍ସାହନ ଯୋଜନା ରହିଛି। ୨ ଚକିଆ ବିଦ୍ୟୁତ୍‌ ଚାଳିତ ଗାଡ଼ି କିଣିଲେ ଗ୍ରାହକଙ୍କୁ ମିଳିବ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି। ୩ ଚକିଆରେ ୧୦ ହଜାର ଓ ୪ ଚକିଆରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ପାଇବେ ଗ୍ରାହକ।  ଇ-ବସ୍‌ରେ ୪ ଲକ୍ଷ ଟଙ୍କା ଯାଏ ସବ୍‌ସିଡି ଯୋଗାଇ ଦେବେ ରାଜ୍ୟ ସରକାର। 

ଇ-ଯାନ ଲାଗି ପଞ୍ଜୀକରଣ ଫି’ ଓ ରୋଡ୍ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ। ୨୦ ହଜାର ଚାର୍ଜିଂ ଷ୍ଟେସନ୍ ପ୍ରତିଷ୍ଠା ଲାଗି ୫ ହଜାର ଟଙ୍କା ଲେଖାଏ ଅନୁଦାନ ଦିଆଯିବ। ଇ-ଯାନ ନିର୍ମାତାଙ୍କୁ ଶତ ପ୍ରତିଶତ  ଜିଏସ୍‌ଟି ଛାଡ୍‌ କରାଯିବ। ଏହି ଇ-ଯାନ ନିର୍ମାତା ଏମ୍ଏସ୍ଏମ୍ଇ ଓ ଶିଳ୍ପ ନୀତିରେ ଥିବା ଅନ୍ୟାନ୍ୟ ସୁବିଧା ପାଇବେ। ଏହାସହ ସବୁ ଅଂଶୀଦାରଙ୍କ ଲାଗି ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି। 

ଇ- ଯାନ ପଲିସି ଅନୁସାରେ, ବୈଦ୍ୟୁତିକ ଯାନ ଓ ଏହାର ଯନ୍ତ୍ରାଂଶ ଏବଂ ବ୍ୟାଟେରୀ ଉତ୍ପାଦନକାରୀ ଉଦ୍ୟୋଗୀଙ୍କୁ ଉତ୍ସାହିତ କରାଯିବ। ବୈଦ୍ୟୁତିକ ଯାନର ନବୀକରଣ ଓ ଗବେଷଣାକୁ ମଧ୍ୟ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ଉତ୍ପାଦନକାରୀ କମ୍ପାନୀ ଓ ଯାନ ବ୍ୟବହାରକାରୀ ସାଧାରଣ ଲୋକଙ୍କୁ ଆର୍ଥିକ ରିହାତି ସହ ଗାଡ଼ି ପଞ୍ଜୀକରଣ ଦେୟ, ରୋଡ୍  ଟ୍ୟାକ୍ସ ଆଦି ଛାଡ଼ କରାଯିବାର ବ୍ୟବସ୍ଥା ରହିଛି। ଏହାବ୍ୟତୀତ ପୁରୁଣା ଗାଡ଼ି ସ୍କ୍ରାପ୍ ଓ ବୈଦ୍ୟୁତିକ ଗାଡ଼ି କିଣିବା ଲାଗି ଋଣ ବାଦଦକୁ ସୁଧ ଛାଡ଼ର ବ୍ୟବସ୍ଥା ମଧ୍ୟ ରହିଛି। ଆସନ୍ତା ୨୦୨୫ ସୁଦ୍ଧା ରାଜ୍ୟରେ ୨୦ ପ୍ରତିଶତ ଇ-ଯାନ ବ୍ୟବହାର କରିବା ଲକ୍ଷ୍ୟରେ ଇ-ଓଡ଼ିଶା ବୈଦ୍ୟୁତିକ ମୋଟର ଯାନ ନୀତି ୨୦୨୧ ଅଣାଯାଇଛି।