କାହିଁକି କୁହାଯାଏ ‘ବୁଝ୍ ନ ବୁଝୁ ପଢ଼ ଗୀତା’ ?

ଓଡ଼ିଆରେ ଗୋଟିଏ କଥା ଅଛି, ବୁଝ୍ ନ ବୁଝୁ ପଢ଼ ଗୀତା, ରୁଚୁ ନ ରୁଚୁ ଖା ପିତା I ସରଳ ଭାଷାରେ ଏହାର ଅର୍ଥ ହେଉଛି, ପିତା ଯେମିତି ଶରୀର ପାଇଁ ହିତକର ଗୀତା ସେମିତି ଆମ ମାନସିକ ଶାନ୍ତି ପାଇଁ ଆବଶ୍ୟକ ଯାହା ଆଜିକାଲିର ବ୍ୟସ୍ତବହୁଳ ଓ ଜଂଜାଳମୟ ଦୁନିଅାରେ ସହଜେ ମିଳେ ନାହିଁ I ଏଠାରେ ଗୀତା କହିଲେ କେବଳ ହିନ୍ଦୁ ଧର୍ମର ଭଗଵତ ଗୀତା ନୁହେଁ, ଧର୍ମ ନିର୍ବିଶେଷରେ ଯେ କୌଣସି ଆଧ୍ୟାତ୍ମିକ ପୁସ୍ତକକୁ ବୁଝାଏ I

ଆଧ୍ୟାତ୍ମିକ ପୁସ୍ତକ ପଢିଲେ ପଢ଼ିଲେ କ’ଣ ଲାଭ ହୁଏ ସେ ନେଇ ଅନେକ ଗବେଷଣା ହୋଇଛି I

-ଜଣେ ବ୍ୟକ୍ତି ଯଦି ଧର୍ମୀୟ କାର୍ଯ୍ୟରେ ମନୋନିବେଶ କରେ ତା’ ହେଲେ ଜୀବନରୁ କ୍ଳାନ୍ତି ଦୂର ହୋଇଯାଇଥାଏ I

 – ଅାଧ୍ୟାତ୍ମିକତାରେ ବିଶ୍ୱାସ ରଖୁଥିବା ଲୋକମାନେ ବିଭିନ୍ନ ଚାପରେ ଥିଲେ ମଧ୍ୟ ସେମାନଙ୍କ ମନକୁ ନକରାତ୍ମକ ଚିନ୍ତାଧାରା ଅାସିନଥାଏ I ଯାହା ଦ୍ୱାରା ସେମାନେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଭାଙ୍ଗି ନ ପଡ଼ି ବରଂ ତାକୁ ସାମ୍ନା କରନ୍ତି I

– ଧର୍ମ,ପ୍ରାର୍ଥନା ଓ ଯୋଗ ଅାଦି ଦ୍ୱାରା ଶାରୀରିକ ଓ ମାନସିକ ସ୍ତରରେ ବିକାଶ ଘଟିବା ସହିତ ମାନସିକ ଚାପ କମ୍ ରହିଥାଏ I ଆଧ୍ୟାତ୍ମିକତା ସହ ଯୋଡ଼ି ହୋଇଥିବା ବ୍ୟକ୍ତି ବିଶେଷ ଅାଶାବାଦୀ ହେବା ସହ ସୁସ୍ଥ ଜୀବନଯାପନ କରନ୍ତି I ଅନ୍ୟପକ୍ଷରେ ଏହା ଦ୍ୱାରା ସମାଜ ସେବା ମଧ୍ୟ ହୋଇପାରିବ I କୁହାଯାଏ, ଅନ୍ୟର କୁଚିନ୍ତା ବା ଅହିତ କଲେ ନିଜର କ୍ଷତି ହୁଏ I ସେହିପରି ଅନ୍ୟର ଭଲ ଚିନ୍ତା କଲେ ନିଜର ଭଲ ଆପେ ହୋଇଥାଏ I

ଏଠାରେ ଏକ ସୁନ୍ଦର ଗଳ୍ପର ଅବତାରଣା କରାଯାଇପାରେ 

Goutam buddhaଏକଦା ବୌଦ୍ଧ ଧର୍ମରେ ବିଶ୍ୱାସ କରୁଥିବା ଜଣେ ବୃଦ୍ଧଙ୍କୁ ତାଙ୍କ ନାତି ପଚାରିଲେ ଜେଜେ ଆପଣ ସବୁଦିନେ ଧର୍ମ ପୁସ୍ତକ ପଢ଼ି ଲାଭ କ’ଣ ମିଳୁଛି I ମୁ ଆପଣଙ୍କ ବହି ପଢ଼ିଲି, କିଛି ବୁଝି ପାରିଲିନି, ସେଗୁଡା ମନେ ବି ରହୁନି I ବୃଦ୍ଧ ଜଣଙ୍କ କହିଲେ ଆମ ବାଡ଼ିପଟେ ଯେଉଁ କୋଇଲା ବୋଝେଇ ବାସ୍କେଟ ଅଛି ତାକୁ ନେଇ ନଈରେ ଫିଙ୍ଗି ଦେବୁ ଆଉ ନଈରୁ ବାସ୍କେଟ ଭର୍ତ୍ତି କରି ପାଣି ଆଣିବୁ I ନାତି ସେୟା କଲେ, ବାସ୍କେଟ ଧରି ନଈକୁ ଗଲେ, କୋଇଲା ଫିଙ୍ଗିଲେ କିନ୍ତୁ ବାଟରେ ପାଣିତକ ବୋହିଗଲା I ବୃଦ୍ଧ କହିଲେ, ଆଉ ଥରେ ଯାଇ ପାଣି ଆଣି ଆସେ I ପାଣି ଆସିବା ନିହାତି ଦରକାର I

ନାତି ପ୍ରତି ଥର ନିଜ ଦୌଡ଼ିବା ବେଗ ବଢ଼ାଇ ବାରମ୍ବାର ଉଦ୍ୟମ କଲେ, କିନ୍ତୁ ଘର ପର୍ଯ୍ୟନ୍ତ ପାଣି ଆଣିବା ସମ୍ଭବ ହେଲା ନାହିଁ I ଶେଷରେ ବିରକ୍ତ ହୋଇ କହିଲେ ଜେଜେ ଆପଣ ବେକାର ଏହି ବହି ସବୁ ପଢୁଛନ୍ତି I କିଛି ଲାଭ ନାହିଁ, ବେକାର ପରିଶ୍ରମ, ସମୟ ନଷ୍ଟ I ଜେଜେ କହିଲେ, ଗୋଟିଏ ମିନିଟ ଚିନ୍ତା କରି କହ ଲାଭ ହୋଇଛି କି କ୍ଷତି ହୋଇଛି I ନାତି ଏଥର ଆଖି ବୁଜି ଚିନ୍ତା କଲେ, କହିଲେ କିଛି ନାହିଁ , ବେକାର ପରିଶ୍ରମ, ଝାଳ ନାଳ ଆଣ୍ଠିଏ ହୋଇଗଲିଣି I

ଜେଜେ କହିଲେ, ଧନରେ ବାରମ୍ବାର ଦୌଡ଼ିବା ଦ୍ୱାରା ଅପରିଷ୍କାର ରକ୍ତ ଝାଳ ଆକାରରେ ବାହାରି ଯାଇଛି, ଯାହା ତୋ ଶରୀର ପାଇଁ ଆବଶ୍ୟକ ନଥିଲା I ଜେଜେଙ୍କ କଥା ନାତି ମନକୁ ପାଇଲା I ଜେଜେ କହିଲେ, ସେତିକି ନୁହେଁ; ଆହୁରି ଲାଭ ହୋଇଛି, ପୁଣି ଚିନ୍ତା କରେ I ନାତି ଚିନ୍ତାମଗ୍ନ ଥିବା ବେଳେ ଆଖି ପଡ଼ିଲା ବାସ୍କେଟ ଉପରେ I ଦେଖିଲା ବାସ୍କେଟଟି ବାରଂବାର ଧୋଇ ହୋଇ ସଫା ହୋଇଯାଇଛି, ଯାହା ଅନ୍ୟ କାମରେ ଲାଗିପାରିବ I ନାତି ଏଥର ଜେଜେଙ୍କ ଗୋଡ଼ ତଳେ ମୁଣ୍ଡିଆ ମାରି କହିଲା ଜେଜେ ଆପଣ ଆଖି ଖୋଲି ଦେଲେ I

ଜେଜେ କହିଲେ ବାସ୍କେଟ ଧରି ପାଣି ପାଇଁ ଦୌଡ଼ିବା ସହ ଏଥର ଧର୍ମ ପୁସ୍ତକ ପଢ଼ିବା ତୁଳନା କରାଯାଉ I ବାରମ୍ବାର ଧର୍ମ ପୁସ୍ତକ ପଢ଼ିଲେ ଆମ ମନରୁ ମଇଳା ଦୂର ହୋଇଯାଏ I ଆମର ଚିନ୍ତା ଶକ୍ତିର ବିକାଶ ଘଟେ, କାର୍ଯ୍ୟ ଶୈଳୀ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼େ I କାର୍ଯ୍ୟ କ୍ଷେତ୍ରକୁ ଯିବା ପୂର୍ବରୁ ସକାଳର ପ୍ରାର୍ଥନା ଦ୍ୱାରା ସବୁ କିଛି ଶୃଙ୍ଖଳିତ ହୋଇଯାଏ, ସର୍ବୋପରି ଆମର ଦିନ ଭଲରେ କଟେ I

( ଆଲେଖ୍ୟ -ମାନସ ମହାନ୍ତି )
Comments
Loading...