ଯୌବନ ଅତୁଟ ରଖିବାକୁ ଚାହାନ୍ତି ତ ଦୁଃଖ ଭୁଲି ଯାଆନ୍ତୁ, ମନ ଖୋଲି ହସନ୍ତୁ

ଓଡ଼ିଆରେ ଗୋଟିଏ ପ୍ରବାଦ ରହିଛି । ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି । ଆମେ ଯଦି ନ ହସି ସବୁ ବେଳେ ଚିନ୍ତାଗ୍ରସ୍ତ ବା ବିଷାଦଗ୍ରସ୍ତ ରହିବା ତେବେ ଏହାର ପ୍ରଭାବ ଆମ ଶରୀର ଉପରେ ପଡ଼ିବ ଆଉ ଆମେ ଅସୁସ୍ଥ ହୋଇପଡ଼ିବା । ଆମ ଶରୀର ବହୁ ମୂଲ୍ୟବାନ। ବିଷାଦଗ୍ରସ୍ତ ରହି ଏହାକୁ ନଷ୍ଟ କରନ୍ତୁ ନାହିଁ ।  ଦୁଃଖ ଯେତେ ଥିଲେ ବି ସବୁବେଳେ ହସିବାକୁ ଚେଷ୍ଟା କରନ୍ତୁ । ଆଜିକାଲି ଚିନ୍ତା ଓ ବ୍ୟସ୍ତ ବହୁଳ ଜୀବନଶୈଳୀ ଭିତରେ ଆମେ କମ୍ ହସୁଛୁ । ତେଣୁ ଚେଷ୍ଟା କରନ୍ତୁ ସବୁ ବେଳେ ହସିବା ପାଇଁ । ଏବେ ହସିବା ପାଇଁ ବିଭିନ୍ନ ସ୍ଥାନରେ ଲାଫିଙ୍ଗ କ୍ଲବ୍ ମଧ୍ୟ ଗଢ଼ାହେଲାଣି । ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନଭଜୋତ୍ ସିଂ ସିଦ୍ଧୁ କେବଳ ହସି ହସି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ମନସ୍ତତ୍ତ୍ୱବିତ୍ ମାନେ ସବୁ ବେଳେ ହସିବାକୁ ପରାମର୍ଶ ଦେଇଥା’ନ୍ତି ।

ଆସନ୍ତୁ ଜାଣିବା ହସିବା ଦ୍ୱାରା କ’ଣ ଲାଭ ହୋଇଥାଏ 

୧. ଆମ ଶରୀରର ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ, ରକ୍ତଚାପ ନିୟନ୍ତ୍ରିତ  ରହିଥାଏ ।

୨.ଏହା  ଆମର ଦାନ୍ତ ଉପରେ ମଧ୍ୟ ଭଲ ପ୍ରଭାବ ପକାଇଥାଏ ।  ପ୍ରତିଦିନ ହସିବା ଦ୍ୱାରା ଆମ ଦାନ୍ତ ମାଢ଼ି ଓ ମୁଖର ମାଂସ ପେଶୀ ସୁସ୍ଥ ରହିଥାଏ।

୩.ବହୁତ ସମୟରେ ଆମ ଦେହ ଦରଜ ହୋଇଥାଏ ।  ଏଥିପାଇଁ ଆମେ ବିଭିନ୍ନ ପ୍ରକାର ଔଷଧ ଖାଇଥାଉ । କିନ୍ତୁ ଏହାର ଉପଚାର ଆମ ପାଖରେ ରହିଛି । ସବୁଦିନ ହସିବା ଦ୍ୱାରା ଶରୀର ଘୋଳାବିନ୍ଧା କି ଦରଜ ହୋଇ ନଥାଏ ।

lady laugh୪. ମନ ଖୋଲି ହସିବା ଦ୍ୱାରା ମାନସିକ ଚାପ ମଧ୍ୟ କମ୍ ହୋଇଥାଏ । ଏହା ଛଡା ଆପଣ ଯଦି ନିଜର ରାଗ କମାଇବକୁ ଚାହୁଁଛନ୍ତି, ତାହାଲେ ହସନ୍ତୁ ।  ଏହା ଦ୍ୱାରା ଆପଣ ରାଗକୁ ନିୟନ୍ତ୍ରଣରେ ରଖିପାରିବେ । ଯେତେବେଳେ ଆପଣ ରାଗି ଯାଉଛନ୍ତି ତେବେ ଆକାଶକୁ ଚାହିଁ କିଛି ସମୟ ରହନ୍ତୁ । ମନେ ମନେ ଭାବନ୍ତୁ ସବୁ ରାଗ ଆପଣଙ୍କ ଶରୀରରୁ ବାହାରି ଆକାଶରେ ମିଳାଇ ଯାଉଛି । ଏହା କ୍ରିୟା ଦ୍ୱାରା ରାଗ ଶାନ୍ତ ହେଉଥିବା ପରୀକ୍ଷା କରି ଦେଖାଯାଇଛି ।

୫.ଯଦି ଆପଣଙ୍କ ମସ୍ତିଷ୍କରେ ନକରାତ୍ମକ ଭାବନା ଆସୁଛି ତାହାଲେ ହସିବା ଦ୍ୱାରା ଏହା ଦୂର ହୋଇଥାଏ ।

୬. ହସିବା ଯେତେବେଳେ ଏକ ସାଧାରଣ ଅଭ୍ୟାସରେ ପରିଣତ ହୁଏ ମଣିଷ ସେତେବେଳେ ନିରୋଗ ହୁଏ ଓ ଦୀର୍ଘାୟୁ ରହେ । ନରୱେର ବୈଜ୍ଞାନିକମାନେ କ୍ୟାନସର ପୀଡ଼ିତ ରୋଗୀମାନଙ୍କୁ ହସିବା ପାଇଁ ପରାମର୍ଶ ଦେଇଥିଲେ । ଦେଖାଗଲା ଯେ, ଯେଉଁ ରୋଗୀ ରୋଗକୁ ଭୁଲିଯାଇ ବାରମ୍ବାର ହସୁଥିଲେ ସେମାନେ ଅନ୍ୟ ରୋଗୀମାନଙ୍କ ଅପେକ୍ଷା ଢେର ଅଧିକ ଦିନ ବଂଚିଲେ ।

୭. ଏହା ଦ୍ୱାରା ଡାଇବେଟିସ ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ତେଣୁ ଡାଇବେଟିସ ରୋଗୀଙ୍କ ପାଇଁ ଏହା ଅନେକ ସୁଫଳ ଦେଇଥାଏ ।

୮.ଦେଖାଯାଏ ନ ହସିବା ଲୋକଙ୍କ ଅପେକ୍ଷା ହସୁଥିବା ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଅଧିକ ରହିଥାଏ । ତେଣୁ ଆତ୍ମବିଶ୍ୱାସ ବଢାଇବାକୁ ସବୁ ବେଳେ ହସିବାକୁ ଚେଷ୍ଟା କରନ୍ତୁ ।

୯.ଆପଣଙ୍କୁ ରାତିରେ ଯଦି ନିଦ ହେଉନାହିଁ  ତା ହେଲେ ମନ ଖୋଲିକି ହସନ୍ତୁ । ଏହା ଦ୍ୱାରା ଆପଣଙ୍କୁ ଭଲ ନିଦ ହେବ ।

child laugh୧୦. ଆପଣ ଯଦି ଯୁବାବସ୍ଥା ବଜାୟ ରଖିବାକୁ ଚାହୁଁଛନ୍ତି, ତାହାଲେ ପ୍ରତିଦିନ ହସିବା ପାଇଁ ସମୟ ବାହାର କରି ହସନ୍ତୁ । ଅଧିକ ହସିବା ଦ୍ୱାରା ମନ ଫୂର୍ତ୍ତି ରହେ ଓ ଶରୀରର କୋଷଗୁଡ଼ିକ ସତେଜ ରୁହନ୍ତି । ତେଣୁ ବିଷାଦକୁ ପାଖ ମାଡ଼ିବାକୁ ଦିଅନ୍ତୁ ନାହିଁ । ଦୁଃଖ ଆପଣଙ୍କ ଆସିବା ପୂର୍ବରୁ ମନ ଖୋଲି ହସି ହସି ତାକୁ ମନ ଭିତରୁ ବିଦା କରନ୍ତୁ ।

ମନେ ରଖନ୍ତୁ, ମଣିଷ ମାନସିକ ଚାପରେ ରହିଲେ ଏକ ପ୍ରକାର ବିଯୁକ୍ତାତ୍ମକ ହରମୋନ୍ କ୍ଷରଣ ହୁଏ ଓ ରୋଗ ପ୍ରତିରୋଧକ ଶକ୍ତି କମିଯାଏ । ହସିବା ଦ୍ୱାରା ଉକ୍ତ ହରମୋନ୍ କ୍ଷରଣ ବନ୍ଦ ହୋଇ ଶରୀର ପାଇଁ ନୂଆ ରୋଗ ପ୍ରତିରୋଧକ କୋଷ ଓ ଆଣ୍ଟିବଡି ତିଆରି ହୁଏ ।

ହସିବା ପାଇଁ ୪ଟି ଟିପ୍ସ

୧- ଆପଣଙ୍କ ବିଷାଦଗ୍ରସ୍ତ ଥିବା ମୁହଁରୁ ବେଳେ ହସ ଉଭେଇଯାଏ । ତେଣୁ ବିଷାଦରେ ଥିବା ବେଳେ ଚେଷ୍ଟା କରନ୍ତୁ କିଛ ଖୁସିର ମୁହୂର୍ତ୍ତ ମନେ ପକାଇବାକୁ।

୨- ସମୟ ମିଳିଲେ କମେଡ଼ି ଫିଲ୍ମ ଦେଖନ୍ତୁ ।
୩- ଥଟ୍ଟା ମଜା ପୁସ୍ତକ ପଢ଼ନ୍ତୁ ।

୪- ସ୍ମାଟ୍ ଫୋନ୍‌ରେ ଟାଇମ୍ ପାସ୍ କରୁଥିବା ବେଳେ ଜୋକ୍ ପଢ଼ନ୍ତୁ । ୟୁ ଟ୍ୟୁବରୁ କମେଡି କ୍ଲିପ୍ ଦେଖିପାରିବେ ।

୫- ହ୍ୱାଟ୍ସ ଆପ୍‌ ବା ଫେସ୍‌ବୁକ୍ ବ୍ୟବହାର କରୁଥିଲେ ଆପଣଙ୍କ ବନ୍ଧୁମାନଙ୍କୁ ନେଇ ଏକ ମଜାଳିଆ ଗ୍ରୁପ୍ ତିଆରି କରନ୍ତୁ ଏବଂ ହସ ସେୟାର କରନ୍ତୁ । ଏହା  ଦ୍ୱାରା ଆପଣ ହସିବେ ଓ ଅନ୍ୟମାନଙ୍କୁ ମଧ୍ୟ ହସାଇବେ ।

୬- ଆପଣ ଅଧିକ ହସିବା ଦ୍ୱାରା ଯଦି ଆପଣଙ୍କୁ କେହି ଉପହାସ କରୁଛି ତ ସେଥି ପାଇଁ ଚିନ୍ତା କରନ୍ତୁ ନାହିଁ । ହସିପାରୁ ନ ଥିବା ଲୋକ ଇର୍ଷା କରିବା ସ୍ୱାଭାବିକ ।

Comments
Loading...