କାଳ ଗୁମ୍ଫାରୁ ଖେଳାଳି ଉଦ୍ଧାର ଘଟଣା ଉପରେ ନିର୍ମାଣ ହେବ ହଲିଉଡ୍ ଫିଲ୍ମ

ଲସ୍‌ ଏଞ୍ଜଲ୍‌ସ : ଥାଇଲ୍ୟାଣ୍ଡରେ ଗୁମ୍ଫା ଭିତରେ ଫସି ରହିଥିବା ଫୁଟବଲ ଖେଳାଳିଙ୍କ ଉଦ୍ଧାର ଘଟଣା ଉପରେ ନିର୍ମାଣ ହେବ ହଲିଉଡ୍‌ ଫିଲ୍ମ । ମଙ୍ଗଳବାର ପ୍ୟୁର୍‌ ଫ୍ଲିକ୍ସ ଏଣ୍ଟରଟେନ୍‌ମେଣ୍ଟ୍‌ ପକ୍ଷରୁ ଏହା ଘୋଷଣା କରାଯାଇଛି । ସଂସ୍ଥାର ସିଇଓ ମାଇକେଲ ସ୍କଟ୍‌ ଫେସ୍‌ବୁକ୍‌ରେ ଏହା ଘୋଷଣା କରିବା ସହ ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି । ହଲିଉଡ୍ ରିପୋର୍ଟରେ ପ୍ରକାଶିତ ଖବର ଅନୁଯାୟୀ,  କାଓସ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ ଓ ପ୍ୟୁର୍‌ ଫ୍ଲିକ୍ସ ଏଣ୍ଟରଟେନ୍‌ମେଣ୍ଟ୍‌ ମିଳିତ ଭାବେ ଏହି ଫିଲ୍ମ ନିର୍ମାଣ କରିବେ । ଏହି ଫିଲ୍ମ ନିର୍ମାଣରେ ୩୦ ମିଲିୟନ୍‌ରୁ ୬୦ ମିଲିୟନ୍‌ ଆମେରିକୀୟ ଡଲାର ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି ।

ଉଦ୍ଧାରକାରୀ ଦଳ ଯେପରି ସାହସିକତା ପ୍ରଦର୍ଶନ କରି ୧୨ ଜଣ ଖେଳାଳିଙ୍କୁ ଅତି ସତର୍କତାର ସହ ଉଦ୍ଧାର କଲେ ତାହା ସ୍କଟ୍‌ଙ୍କୁ ପ୍ରଭାବିତ କରିଛି । ସେ ଏହି ସାହସିକ ଉଦ୍ଧାର କାର୍ଯ୍ୟର ପ୍ରତିଟି ସୋପାନ ଉପରେ ଅନୁଧ୍ୟାନ ଚଳାଇଛନ୍ତି । ଉଦ୍ଧାରକାରୀ ଦଳର ୯୦ ଜଣ ଡାଇଭର ଓ ଉଦ୍ଧାର ପାଇଥିବା କିଛି ଖେଳାଳିଙ୍କ ସହ ସ୍କଟ୍‌ କଥା ହେବା ପରେ ଫିଲ୍ମ ନିର୍ମାଣ ପାଇଁ ତାଙ୍କର ଆଗ୍ରହ ବଢ଼ିଯାଇଛି ।

ସ୍କଟ୍‌ କହିଛନ୍ତି ଯେ, ତାଙ୍କର ଜଣେ ବାନ୍ଧବୀଙ୍କ ସ୍ୱାମୀ ସାମନ୍ କୁନନ୍ ଏହି ଅପରେସନ୍‌ ବେଳେ ପ୍ରାଣ ହରାଇଛନ୍ତି । ତେଣୁ ଏହି ଘଟଣା ତାଙ୍କ ପାଇଁ ବ୍ୟକ୍ତିଗତ ହୋଇଯାଇଛି । ସ୍କଟ୍‌ କହିଛନ୍ତି ଏହି ଫିଲ୍ମ ନିର୍ମାଣ ସଫଳ ହେଲେ, ଉଦ୍ଧାରକାରୀ ଦଳର ସମସ୍ତ ସଦସ୍ୟ ଓ ତାଙ୍କର ବାନ୍ଧବୀଙ୍କ ସ୍ୱାମୀ ଯିଏ ପ୍ରାଣ ହରାଇଲେ ତାଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ହେବ ।

ସୂଚନାଯୋଗ୍ୟ, ଗତ  ଜୁନ୍‌ ୨୩ ତାରିଖରେ ଉତ୍ତର ଥାଇଲାଣ୍ଡର ୧୨ ଜଣ ଫୁଟବଲ ଖେଳାଳି ସେମାନଙ୍କ କୋଚ୍‌ଙ୍କ ସହ ଉତ୍ସୁକତାର ସହ ଗୁମ୍ଫାରେ ପଶିଥିଲେ। ତେବେ ପ୍ରବଳ ବର୍ଷାରେ ଗୁମ୍ଫାରେ ପାଣି ପଶିଯିବାରୁ ଏହି ଖେଳାଳିମାନେ ବାଟ ଭୁଲି ତା ଭିତରେ ଫସି ଯାଇଥିଲେ।

 

Comments
Loading...