ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ରେଜଲ୍ଟ

ଭୁବନେଶ୍ୱର : ବହୁ ବାଦ ବିବାଦ ଏବଂ ନାନା କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ପ୍ରକାଶ ପାଇଛି ସିବିଏସ୍ଇର ଦ୍ୱାଦଶ ରେଜଲ୍ଟ। ନିର୍ଦ୍ଧାରିତ ସମୟର ଦୁଇ ଘଣ୍ଟା ବିଳମ୍ବରେ ଆଜି ସିବିଏସ୍ଇର ୱେବସାଇଟ୍‌ରେ ରେଜଲ୍ଟ ପ୍ରକାଶ ପାଇଥିଲା। ସେପଟେ ରେଜଲ୍ଟ ଆସିବା ପରେ କୃତୀ ଛାତ୍ରଛାତ୍ରୀ କରିଛନ୍ତି ସେଲିବ୍ରେସନ୍। ଏଥର ମୋଟ ପାସ୍ ହାର ୮୩.୦୧ ପ୍ରତିଶତ ରହିଥିବା ବେଳେ ଗତବର୍ଷ ଅପେକ୍ଷା ଏବର୍ଷ ପାସ୍ ହାର ୧ ପ୍ରତିଶତ ଅଧିକ ରହିଛି। ସର୍ବଭାରତୀୟ ସ୍ତରରେ ମୋଟ୍ ୫୦୦ରୁ ୪୯୯ ମାର୍କ ରଖି ଟପ୍ ୱାନ୍ ହୋଇଛନ୍ତି। ଉତ୍ତରପ୍ରଦେଶ ଗାଜିଆବାଦର ମେଘନା ଶ୍ରୀବାସ୍ତବ। ସେଇ ଗାଜିଆବାଦର ଅନୁଷ୍କା ଚନ୍ଦ୍ରା ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି।

୯୭.୩୨ ପ୍ରତିଶତ ସହ ତ୍ରିଭେନ୍ଦ୍ରମ୍, ୯୩.୮୭ ପ୍ରତିଶତ ସହ ଚେନ୍ନାଇ ଏବଂ ୮୯ ପ୍ରତିଶତ ସହ ଦିଲ୍ଲୀ ଶ୍ରେଷ୍ଠ ୩ଟି ରିଜିଅନ୍‌ର ମାନ୍ୟତା ହାସଲ କରିଛନ୍ତି। ଭୁବନେଶ୍ୱର ରିଜିଅନ୍‌ରେ ବାଣିଜ୍ୟ ବିଭାଗରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରଣବ ମନୀ, ବିଜ୍ଞାନରେ ମଦର୍ସ ପବ୍ଲିକ୍ ସ୍କୁଲର ସମୀକ୍ଷା ମହାପାତ୍ର ଏବଂ ଆରୁଶି କଲାମ୍ ଟପ୍ପର ହୋଇଛନ୍ତି।  ଭୁବନେଶ୍ୱର ରିଜିଅନରେ୍ ମୋଟ୍ ପାସ୍ ହାର ରହିଛି ୮୩.୭୦ ପ୍ରତିଶତ। ତେବେ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ। ଏବର୍ଷ କେନ୍ଦ୍ରୀୟ ଏବଂ ନବୋଦୟ ବିଦ୍ୟାଳୟ ଗୁଡ଼ିକ ୯୮ ପ୍ରତିଶତ ରେଜଲ୍ଟ କରିଥିବାବେଳେ ସରକାରୀ ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ଗୁଡ଼ିକ ମଧ୍ୟ ଭଲ ରେଜଲ୍ଟ କରିଥିବା କହିଛନ୍ତି କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ।

କିଛି ସ୍ଥାନରେ ଅର୍ଥନୀତି ବିଷୟର ପ୍ରଶ୍ନପତ୍ର ଲିକ୍ ଯୋଗୁଁ ଦେଶବ୍ୟାପୀ ଛାତ୍ର ଏବଂ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏପରିକି ଅର୍ଥନୀତି ବିଷୟରେ ସାନି ପରୀକ୍ଷା ମଧ୍ୟ କରାଯାଇଥିଲା। ଏହି ବାଦବିବାଦ ଭିତରେ ଆଜି ରେଜଲ୍ଟ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ cbse.examresults.net, cbseresults.nic.in ଏବଂ results.gov.in ୱେବ୍ସାଇଟ୍‌ରେ ରେଜଲ୍ଟ ଦେଖିପାରିବେ। ଆଉ ଦିନେ ଦୁଇ ଦିନ ମଧ୍ୟରେ ସିବିଏସ୍ଇର ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।

Comments
Loading...